ବାପୁ କେତେ ପ୍ରାସଙ୍ଗିକ ?

0
489
  • ବଳଭଦ୍ର ରଥ

ସମଗ୍ର ଦେଶ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ ପାଳନ କରୁଛି । ସୋସିଆଲ୍ ମିଡିଆ ଠାରୁ ଆରମ୍ଭ କରି ଦେଶର ପ୍ରତିଟି କୋଣ ଅନୁକୋଣରେ ଗାନ୍ଧିଜୀଙ୍କର ସେବାଭାବ, ସତ୍ୟ ଓ ଅହିଂସାର ଗୁଣଗାନ ହେଉଛି । ଏହି ଅବସରରେ ଆଜି ଠାରୁ ଦେଶରେ ପ୍ଲାଷ୍ଟିକର ବ୍ୟବହାରକୁ ନିଷିଦ୍ଧ କରାଯାଇଛି ।
ସମୟାନୁବର୍ତ୍ତିତା ଓ ସ୍ୱଚ୍ଛତାର ପକ୍ଷଧର ଥିଲେ କୋଟି କୋଟି ଭାରତୀୟଙ୍କ ହୃଦୟରେ ଥିବା ପ୍ରିୟ ବାପୁଜୀ । ସେ ଆଜି ଚର୍ମ ଚକ୍ଷୁରେ ନାହାନ୍ତି ସତ; କିନ୍ତୁ ତାଙ୍କର ଆଦର୍ଶ ଆଜିର ଦିନରେ ବିଶେଷ ଭାବେ ଅନୁଭୂତ ହେଉଛି । ସମଗ୍ର ବିଶ୍ୱକୁ ଶାନ୍ତି ଓ ମୈତ୍ରୀଭାବର ବାର୍ତ୍ତା ଦେଇଥିବା ଗାନ୍ଧୀଙ୍କ ଚିନ୍ତା ଓ ଦର୍ଶନ ଆଜିର ଦିନରେ ଯଦିଓ ପ୍ରାସଙ୍ଗିକ ହୋଇରହିଛି କିନ୍ତୁ ଦେଶର ସାମ୍ପ୍ରତିକୀ ପରିସ୍ଥିତି କିନ୍ତୁ ବିପରୀତ ହେବାରେ ଲାଗିଲାଣି । ଆଜି ସମଗ୍ର ବିଶ୍ୱ ଗୋଟିଏ ପଟେ ଯୁଦ୍ଧ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଅନ୍ୟପଟେ ଜଳବାୟୁକୁ ନେଇ ଉଦବେଗ ପ୍ରକାଶ କରୁଛି । କିନ୍ତୁ ଭାରତୀୟ ପୃଷ୍ଠଭୂମୀରୁ ଗାନ୍ଧୀଦର୍ଶନର ଉପଯୋଗୀତା ଦେଶ ପାଇଁ ଆବଶ୍ୟକୀୟ ଓ ପ୍ରାସଙ୍ଗିକ ହୋଇପଡିଛି ।
ଅନ୍ୟପଟେ ଆମ ଦେଶର ପ୍ରମୁଖ ନେତାମାନେ ଗାନ୍ଧିଜୀଙ୍କ ଗୁଣଗାନ କରିବାରେ ଆଦୌ ହେଳା କରୁନାହାନ୍ତି । କିନ୍ତୁ ମହାତ୍ମା ଖାଲି ଭାଷଣରେ ଶୋଭା ପାଇଲେ କଣ ଦେଶ ଉପକୃତ ହୋଇପାରିବ? ଆଜି ଦେଶର ଅବସ୍ଥା ଏପରି ହୋଇଛି ଅଧିକାଂଶ ଯୁବବର୍ଗ ଗାନ୍ଧିଜୀ ତଥା ତାଙ୍କ କର୍ତ୍ତୃତ୍ୱ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ । କାରଣ ଏହା ଯୁବବର୍ଗଙ୍କ ପାଠ୍ୟକ୍ରମ କି ପରୀକ୍ଷାର ଏକ ଅଂଶ ନୁହେଁ । ଯେଉଁ ଦେଶର ନାଗରିକ ନିଜ ରାଷ୍ଟ୍ରର ଇତିହାସ, ସଂସ୍କୃତି ଓ ମହାନ୍ ପରମ୍ପରାକୁ ଆଧୁନିକତାର ଦ୍ୱାହି ଦେଇ ମନରୁ ପାଶୋରୀ ଦେଉଛନ୍ତି ସେ ଦେଶର ଭବିଷ୍ୟତ ସତରେ କ’ଣ ଉଜ୍ଜ୍ୱଳମୟ ? ବଡ ଲୋକଙ୍କ ଜୀବନୀ, ସେମାନଙ୍କ ଚରିତ୍ର ତଥା ଜୀବନଶୈଳୀ ସବୁବେଳେ ସବୁ ସମୟରେ ପ୍ରେରଣାଦାୟୀ ହୋଇଥାଏ । କିନ୍ତୁ ଏହା ଉପରେ ଦେଶର ନାଗରିକମାନେ କେତେଦୂର ଅନୁଶୀଳନ କରୁଛନ୍ତି ତାହା ବିଚାର କରିବାର କଥା । ସମସ୍ତେ ଗାନ୍ଧୀଙ୍କ ନାମ ଜାଣିଥିବେ କିନ୍ତୁ ତାଙ୍କ ବିଷୟରେ ଦି’ ପଦ କଥା କହିପାରିବେ ନାହିଁ ଭଳି ପରିସ୍ଥିତି ଦେଖାଦେଇଛି । ଏହା ଆମର ଜାତୀୟ ନୈତିକ ଅଧୋପତନ ନୁହେଁ କିି?
ଅତୀତ ଓ ଇତିହାସ ମଧ୍ୟରେ ଅନେକ ପ୍ରାର୍ଥକ୍ୟ ରହିଛି । ଯେତେବେଳେ ଏହି ଅତୀତ ଆମର ଗୌରବମୟ ସଂସ୍କୃତି ଓ ପରମ୍ପରାର ବାହକ ହୋଇଉଠେ ସେତେବେଳେ ଜୀବନ ଜିଇଁବାର ଆନନ୍ଦ ସ୍ୱତନ୍ତ୍ର ହୋଇଥାଏ । କିନ୍ତୁ ଭୋଗବାଦୀ ମଣିଷ ନିଜକୁ ଆଜି ନିଜ ଭିତରେ ହିଁ ସୀମିତ କରିଦେଇଛି । ବର୍ତ୍ତମାନର ପ୍ରଚଳିତ ଶିକ୍ଷାବ୍ୟବସ୍ଥା, ସାମାଜିକ ଚଳଣୀ ତଥା ବିଶେଷ ଭାବେ ପାରିବାରିକ ଜୀବନକୁ ଅନୁଧ୍ୟାନ କଲେ ଏହା ଅପ୍ରିୟ ସତ୍ୟ ଯେ, ଆମ ଜୀବନ ଆଜି ଆଦର୍ଶବିହୀନ । ଆମ ଜୀବନ ଆଜି ଆତ୍ମକୈନ୍ଦ୍ରିକ ହୋଇଉଠିଛି । ନଯାହା ଦେଶ ପାଇଁ ଘୋର ବିପଦ ହିଁ ବିପଦ । ତଥାପି ଗାନ୍ଧିଜୀଙ୍କ ଅମିୟ ବାଣୀ ଓ ତାଙ୍କ ଜୀବନଶୈଳୀ ଅନେକ ନରନାରୀଙ୍କ ଜୀବନରେ ଅଦ୍ଭୂତପୂର୍ବ ସଫଳତା ଆଣିବାର ସାମର୍ଥ୍ୟ ବହନ କରେ । ପାର୍ଥିବ ସୁଖ ସ୍ୱାଚ୍ଛନ୍ଦ୍ୟରୁ ବାହାରି ଏକ ମହାର୍ଘ୍ୟ ଜୀବନ ବିତାଇବାରେ ଗାନ୍ଧୀ ଦର୍ଶନ ଆମ ଭିତରେ ଜୀବନ୍ତ ହୋଇଉଠୁ ।

odishaprint@gmail.com

LEAVE A REPLY

Please enter your comment!
Please enter your name here