ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଛାତ୍ରନେତା

0
433

ବଳଭଦ୍ର ରଥ

  ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ପ୍ରକ୍ରିୟା ହେଉଛି ସାମ୍ବିଧାନିକ ବ୍ୟବସ୍ଥାର ଏକ ପ୍ରମୁଖ ଅଙ୍ଗ । ଏହା ନେତା ଓ ଜନତାଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରି ଚାଲିଥାଏ । ତେବେ ଆମ ଦେଶର ନେତାମାନଙ୍କର ଉତ୍ତପ୍ତି ସ୍ଥଳ ହୋଇଥାଏ ଛାତ୍ରସଂସଦ ନିର୍ବାଚନରୁ । ଏହା ଦେଶର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତବର୍ଷ ରାଜ୍ୟ ସରକାର ଓଡିଶାରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ୍ କରିବା ସହ ଏଥିରେ ବ୍ୟତିକ୍ରମ ଆଣିଛନ୍ତି । ଆଉ ନିର୍ବାଚନ ନୁହେଁ ଉଚ୍ଚ ଶିକ୍ଷା ବିଭାଗର ଚୟନ ବଳରେ ଛାତ୍ର ପ୍ରତିନିଧି ନିର୍ବାଚିତ ହେବେ । ଏଇଠି ପ୍ରଶ୍ନ ଉଠୁଛି ପ୍ରକୃତରେ ଏହା କ’ଣ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା? ଛାତ୍ରମାନଙ୍କର ପ୍ରତିନିଧି ବାଛିବାର ଏ ପରିବର୍ତ୍ତିତ ବ୍ୟବସ୍ଥା ମୂଳ ଲକ୍ଷ୍ୟ ଠାରୁ ଦୂରେଇ ଯାଉନାହିଁ ତ ?
ଆଜିର ଛାତ୍ର ନେତା କାଲି ଦେଶର ନେତା ଭାବେ ପରିଗଣିତ ହୋଇଥାନ୍ତି । କିନ୍ତୁ ଯଦି ବ୍ୟବସ୍ଥାକୁ ପଙ୍ଗୁ କରି ଦିଆଯାଏ ତେବେ ପ୍ରକୃତ ନେତା ଦେଶକୁ ମିଳିପାରିବ ନାହିଁ । ନେତା ଜନତାଙ୍କର ହେବା ଆବଶ୍ୟକ, କୌଣସି ସରକାରଙ୍କ ମନୋନୀତ ପ୍ରାର୍ଥୀ କଦାପି ନୁହେଁ । ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଛାତ୍ର ସଂସଦ ନିର୍ବାଚନକୁ ବାତିଲ୍ କରାଯାଇଛି ବୋଲି ସରକାର କହିଛନ୍ତି । କିନ୍ତୁ ମନୋନୀତ ଛାତ୍ର ପ୍ରତିନିଧି ଚୟନରେ ସର୍ବସମ୍ମତ ଭିତ୍ତିରେ ସମ୍ପୃକ୍ତ କଲେଜ ତଥା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମତକୁ ସ୍ୱୀକାର କରି ଚାଲିଲେ ଆମ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧ ଅକ୍ଷୁର୍ଣ୍ଣ ରହିପାରିବ । ଉପଯୁକ୍ତ ଛାତ୍ର ନେତା ଚୟନରେ ଏହା ଯଥେଷ୍ଟ ସହାୟକ ହେବ । ବ୍ୟବସ୍ଥାରେ ପରିବର୍ତ୍ତନ ହେଉ, କିନ୍ତୁ ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ ନହେଉ ।

LEAVE A REPLY

Please enter your comment!
Please enter your name here