ଗଞ୍ଜାମର ବିଲୁପ୍ତ ଲୋକକଳା – ନଚା କଣ୍ଢେଇ

0
522

ଡଃ ସବିତା ତ୍ରିପାଠୀ
କଣ୍ଢେଇ ନାଚ – ନଚା କଣ୍ଢେଇ ଓଡ଼ିଶାର ଏକ ପ୍ରାଚୀନ କଳା ଭାବେ ବିକାଶ ଲାଭ କରିଆସିଛି । ଏହା ଏବେ ପ୍ରାୟ ବିଲୋପ ହୋଇ କେଉଁଠି କେମିତି ବଞ୍ଚି ରହିଛି । ଆଧୁନିକ ସଭ୍ୟତା ମଧ୍ୟରେ ପାରମ୍ପରିକ କଳାର ଏଇ ଦିଗଟି ଧୀରେ ଧୀରେ ଲୋପ ହୋଇଯିବାକୁ ବସିଲାଣି ।
ଓଡ଼ିଶାରେ ସାଧାରଣତଃ ତିନି ପ୍ରକାରର କଣ୍ଢେଇ ପ୍ରଚଳନ ହେବାର ଦେଖାଯାଏ । ଗୋପଲୀଳା ବା ନଚା କଣ୍ଢେଇ, ରାବଣ ଛାୟା ଏବଂ ଯାତ୍ରା ମେଳଣରେ ରାଜାରଣୀ, ମଙ୍ଗଳା, ବାଘ ଷଣ୍ଢ ପ୍ରଭୃତି କଣ୍ଢେଇ ଏକାଧିକ ଲୋକଙ୍କ ଦ୍ୱାରା ନାଚ ହେଉଥିବା ଦେଖାଯାଏ । ବୃହଦାକାର କଣ୍ଢେଇ, ନୃତ୍ୟ ପାରମ୍ପରିକ ଲୋକବାଦ୍ୟ ଢୋଲ, ମହୁରୀ, ତାଳ, ଲୟାଶ୍ରୟୀ ହୋଇ ନୃତ୍ୟ କରାଯାଇଥାଏ । ଜଗତସିଂହପର, ପୁରୀର ଚଇତି ଘୋଡା ବା ଗଞ୍ଜାମର ଷଣ୍ଢ, ବାଘ ନୃତ୍ୟ ଏହି ଶ୍ରେଣୀର ।
ନଚା କଣ୍ଢେଇ ବା ଗୋପଲୀଳା ଦକ୍ଷିଣ ଓଡିଶାରେ ଗଜପତି ଜିଲ୍ଲାର କୋଲଣ୍ଡ, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟସ୍ଥ ବୁଦୁଲି, ମୁଜାଗଡ଼, ବଡ଼କୋଦଣ୍ଡା ଏବଂ ଚିକିଟି ଅଞ୍ଚଳରେ ପରିବେଷଣ କରାଯାଇଥାଏ । ନଚା କଣ୍ଢେଇ କାଷ୍ଠ ତିଆରି ଜଡ଼ ପିିତୁଳାର ଅଭିନୟ ମାତ୍ର । ଏହି ନୃତ୍ୟ ପରିବେଷଣ କରିବା ପାଇଁ ଏଥିରୁ ଦୃଶ୍ୟପଟ ବା ଅନ୍ୟ କୌଣସି ପୃଷ୍ଠପଟର ଆବଶ୍ୟକତା ନଥାଏ । ଗ୍ରାମାଞ୍ଚଳର ସବୁ ଶ୍ରେଣୀର ଲୋକେ ସଙ୍ଘବଦ୍ଧ ହୋଇ ସ୍ୱଳ୍ପ ବ୍ୟୟ ଓ ସାମାନ୍ୟତମ ପରିବେଶ ମଧ୍ୟରେ ମୁକ୍ତାକାଶ ତଳେ ଏହି ନୃତ୍ୟର ଆୟୋଜନ କରିଥାନ୍ତି । ପ୍ରାୟ ତିନି ମିଟର ଲମ୍ବ, ଏକ ମିଟର ଓସାର ଓ ଦୁଇମିଟର ଲମ୍ବ, ଏକମିଟର ଓସାର ଓ ଦୁଇମିଟର ଉଚ୍ଚତା ବିଶିଷ୍ଟ ମଞ୍ଚକୁ ବିଭିନ୍ନ ଦିଗରୁ ଲୁଗା ଦ୍ୱାରା ଢାଙ୍କି ଏକ ପାଶ୍ୱର୍ମୁଖୀ ମଞ୍ଚ ପ୍ରସ୍ତୁତ ହୋଇଥାଏ । ଗଞ୍ଜାମ ଅଞ୍ଚଳରେ ହେଉଥିବା ଏଇ ନୃତ୍ୟ ଖୁବ୍ ବର୍ଣ୍ଣିଳ ଏବଂ ଚିତ୍ତାକର୍ଷକ । ସାଧାରଣତଃ ରାତ୍ରିର ଦ୍ୱିତୀୟ ପ୍ରହରରେ ଦୁଇ ତିନି ଘଣ୍ଟା ପାଇଁ କଣ୍ଢେଇ ନାଟ ହୁଏ । ଯାତ୍ରା ଭଳି ମଞ୍ଚର ଚତୁଃପାଶ୍ୱର୍ରେ ଦର୍ଶକ ନ ବସି ଏକ ପାଶ୍ୱର୍ରେ ବସି ନୃତ୍ୟ ଦେଖିବାକୁ ହୁଏ ।
ମଞ୍ଚ ଏବଂ ଦର୍ଶକଙ୍କ ମଧ୍ୟବର୍ତ୍ତୀ ସ୍ଥାନରେ ଗାୟକ ତଥା ବାୟକମାନେ ନବସି ପରଦା ପଛରେ ବସି ରହନ୍ତି । ମଞ୍ଚର ସମ୍ମୁଖରେ ପ୍ରାୟ ସାତ ଫୁଟ୍ ବ୍ୟବଧାନରେ ଗୋଟିଏ କିମ୍ବା ଦୁଇଟି ଲାଇଟକୁ ଝୁଲାଇ ଦିଆଯାଏ ଏବଂ ଦର୍ଶକଙ୍କ ଆଖିରେ ଆଲୋକ ନ ପଡିବା ପାଇଁ ଲାଇଟରେ ଦର୍ଶକଙ୍କ ପଟକୁ ଏକ ଛୋଟିଆ ଟିଣ ଫଳକ ଝୁଲାଇ ଦିଆଯାଏ । ଫଳରେ ଦର୍ଶକମାନଙ୍କ ଦୃଷ୍ଟି ମଞ୍ଚ ଉପରେ ସଠିକ୍ ଭାବରେ ପଡି ରହେ । ମଞ୍ଚର ପୃଷ୍ଠରେ ଗୋଟିଏ କଳା କନା ପୃଷ୍ଠ ପରଦା ଭାବେ ବନ୍ଧା ହୋଇଥାଏ । ନଚା କଣ୍ଢେଇ ବା ଗୋପଲୀଳାର କଣ୍ଢେଇ ଗୁଡିକ ସାଧାରଣତଃ ପାଳଧୂଆ କିମ୍ବା ଦେବଦାରୁ ଗଛର କାଠରେ ପ୍ରସ୍ତୁତ କରାଯାଏ । କାରଣ ଏଇ କାଠ ହାଲୁକା ଏବଂ ଦୀର୍ଘସ୍ଥାୟୀ ।
ଗ୍ରାମ୍ୟ ମହାରଣାମାନେ ଏହି କଣ୍ଢେଇ ପ୍ରସ୍ତୁତ କରିଥାନ୍ତି । କଣ୍ଢେଇ ଗୁଡିକର ଅବୟବଗୁଡିକ ଚଳନଶୀଳ । ହାତ, ଗୋଡ଼, କହୁଣୀ ପ୍ରଭୃତି ଗୋଟିଏ ଗୋଟିଏ ଅଂଶଭାବେ ପ୍ରସ୍ତୁତ ହୋଇ ସମ୍ପୂର୍ଣ୍ଣ କଣ୍ଢେଇର ରୂପ ନିଅନ୍ତି । କାଠ କଣ୍ଢେଇ ପ୍ରସ୍ତୁତ ପରେ ଏହା ଉପରେ ପଟ୍ଟଚିତ୍ର ଶୈଳୀରେ ରଙ୍ଗ ଦିଆଯାଇଥାଏ ଏବଂ ଆବଶ୍ୟକ ଅନୁସାରେ ନାଟକର ଚରିତ୍ରକୁ ଦେଖି ବିନ୍ୟାସ କରାଯାଏ । ପୋଷାକ ଓ ଅଳଙ୍କାର ନିମନ୍ତେ ବିଭିନ୍ନ ବର୍ଣ୍ଣର କନା, ଜରି, ଛିଟ କାଗଜ, ମାଳି, ଜମ୍ବୁରା ପ୍ରଭୃତି ବ୍ୟବହୃତ ହୁଏ । ନଚା କଣ୍ଢେଇ ନାଟରେ ଏକାଧିକ କଣ୍ଢେଇ ବ୍ୟବହୃତ ହୁଏ । କଣ୍ଢେଇ ଗୁଡିକର ଉଚ୍ଚତା ଚାଳିଶି ସେଣ୍ଟିମିଟରରୁ ଅଧିକା ନୁହେଁ କିମ୍ବା ପନ୍ଦର ସେଣ୍ଟିମିଟରରୁ କମ୍ ନୁହେଁ । କଣ୍ଢେଇର ମୁଣ୍ଡ, ଦୁଇ ହାତ ଓ ଦୁଇ ଜଙ୍ଘରେ କଳା ରଙ୍ଗର ସରୁ ରେଶମ ବା ପ୍ଲାଷ୍ଟିକ୍ ସୂତା ବନ୍ଧା ଯାଇଥାଏ । ସୂତାକୁ ନରମ କରିବା ନିମନ୍ତେ ଜଡା ତେଲ ମାଲିସ୍ କରାଯାଇଥାଏ । କ୍ଷେତ୍ର ବିଶେଷରେ କଣ୍ଢେଇ ଦେହରେ ଘୋଡା ଲାଞ୍ଜର ଲମ୍ବା ବାଳକୁ ମଧ୍ୟ ସୂତା ରୂପେ ବ୍ୟବହାର କରାଯାଏ । କଳାସୂତାକୁ କଳାପରଦା ସମ୍ମୁଖରେ ଝୁଲାଇବା ଦ୍ୱାରା ଦର୍ଶକ ସୂତାକୁ ଦେଖିପାରେ ନାହିଁ । ମଞ୍ଚର ନେପଥ୍ୟରେ ପୁରୁଷ ଲୋକଟିଏ ନାଟକର ସୂଚନା ଓ ସଂଳାପ ଡାକବାଜି ଯନ୍ତ୍ରରେ ଜଣାଏ । ମଞ୍ଚର ଭିତରେ ବାଉଁଶ କଡି ଉପରେ ବସି ଦୁଇଜଣ ବ୍ୟକ୍ତି କଣ୍ଢେଇ ଅଭିନେତା ଓ ଅଭିନେତ୍ରୀମାନଙ୍କୁ ମଞ୍ଚକୁ ପ୍ରବେଶ କରାନ୍ତି ଏବଂ ନାଟକ ଆଗେଇ ଚାଲେ । କଣ୍ଢେଇ ନଚାଳିମାନେ ଡାହାଣ ହାତର ବୃଦ୍ଧ, ଅନାମିକା, ମଧ୍ୟମା ଏବଂ ବାମ ହାତର ତର୍ଜନୀ, ଅନାମିକା ଓ ବୃଦ୍ଧାଙ୍ଗୁଳିରେ କଣ୍ଢେଇର ସୂତା ଚାଳନା କରି କଣ୍ଢେଇମାନଙ୍କୁ ଅଭିନୟ କରାଇଥାନ୍ତି । ଏହା ସର୍ବଦୌ କଷ୍ଟକର ଓ ଖୁବ୍ କୌଶଳପୂର୍ଣ୍ଣ ।
ରଙ୍ଗମଞ୍ଚରେ ଅଭିନେତାର ନାକ, ଚକ୍ଷୁ ଓ ଅଧରର ସଞ୍ଚାଳନ ଦ୍ୱାରା ସୁଅଭିନୟ ପ୍ରଦର୍ଶିତ ହୋଇଥାଏ, କିନ୍ତୁ ଏଇ ନଚା କଣ୍ଢେଇ କ୍ଷେତ୍ରରେ ନିର୍ଜୀବ ଚିତ୍ରିତ କଣ୍ଢେଇର ମୁଖଭଙ୍ଗୀରେ ଛନ୍ଦର ଅଭାବ ଘଟିଥାଏ । ଚରିତ୍ର ଅନୁଯାୟୀ ଚିତ୍ରିତ ହୋଇଥିବା କଣ୍ଢେଇଟିକୁ ଅଭିନୟ ସମୟରେ ସେଭଳି ସଂଳାପ ଦ୍ୱାରା ଅଭିନୟ କରିବାକୁ ହୁଏ । ମୁଖଭଙ୍ଗୀର କୌଣସି ପରିବର୍ତ୍ତନ ନଥାଇ ନଚା କଣ୍ଢେଇ କେବଳ ଅଙ୍ଗଚାଳନା ଦ୍ୱାରା ନିଜର ଭାବ ପ୍ରକାଶ କରିଥାଏ । ଚରିତ୍ର ଗୁଡିକ ମଞ୍ଚକୁ ପ୍ରବେଶ କଲାବେଳେ ତୀର୍ଯ୍ୟକ ଭାବେ ମଞ୍ଚ ଅଳିନ୍ଦର ଉପରୁ ଅଭିନୟ ଅଭିନୟ ସ୍ଥଳକୁ ପ୍ରବେଶ କରନ୍ତି ।
ଦକ୍ଷିଣ ଓଡିଶାରେ ବିଲୋପ ହୋଇଯାଉଥିବା ଏହି ନଚା କଣ୍ଢେଇଗୁଡିକର ରଙ୍ଗବିନ୍ୟାସ ମଧ୍ୟ ଖୁବ୍ ଲୋଭନୀୟ । ନାରୀ ଚରିତ୍ରଗୁଡିକୁ ଦକ୍ଷିଣୀ ବେଣୀ, ପାଟଫୁଲି, ଗଭାରେ ଫୁଲ, ଜାମୁକୋଳି କିମ୍ବା ଆଚୁରଙ୍ଗର ବସ୍ତ୍ର ପିନ୍ଧାଇ ଦିଆଯାଇଥାଏ । ପୁରୁଷ ଚରିତ୍ରଗୁଡିକୁ ଶୀତଳ ରଙ୍ଗ ଯଥା ନୀଳ ଓ ପୀତ ରଙ୍ଗର ପ୍ରଲୋପ ଦିଆଯାଇଥାଏ । କଣ୍ଢେଇ ନାଟରେ ମୁଖଚିତ୍ର ରେଖାଗୁଡିକ ଖୁବ୍ ପ୍ରଭାବଶାଳୀ । ବକ୍ର, ଭଙ୍ଗୀଳ ତଥା ଭଙ୍ଗରେଖାର ନମୂନା ଚିତ୍ରଗୁଡିକରେ ଖୁବ୍ ପ୍ରାଣବନ୍ତ ହୋଇଥିବାର ଜଣାଯାଏ । କଣ୍ଢେଇ ନାଟ ପାଇଁ ସ୍ୱତନ୍ତ୍ର ନାଟକ ଏଯାବତ୍ ଲେଖାଯାଇ ନାହିଁ । କିନ୍ତୁ ଏଥିପାଇଁ ସ୍ୱତନ୍ତ୍ର ଚିତ୍ରକର ଓ ସ୍ୱତନ୍ତ୍ର ସୁତ୍ରଧର ରହିଛନ୍ତି ।
ଦକ୍ଷିଣ ଓଡିଶାରେ ଏହି ନଚା କଣ୍ଢେଇ ନାଟ ପ୍ରାୟ ବିଲୁପ୍ତ ହୋଇଗଲାଣି । ଲୋକପରମ୍ପରାରେ ଏହା ଆଜି ସମ୍ପୂର୍ଣ୍ଣ ଅବହେଳିତ ହୋଇଯାଇଛି । ସହୃଦୟ ନାଟ୍ୟକାର, କଳାସଂସ୍କୃତିର ପୁନଃଉଦ୍ଧାରକମାନେ ଗଭୀର ଭାବେ ଅନୁଧ୍ୟାନ କଲେ ନଚା କଣ୍ଢେଇ ଓଡିଆ ଲୋକ ସଂସ୍କୃତିର ଯେ ଅନ୍ୟତମ ବିଭବ ଥିଲା, ତାହା ନିଶ୍ଚିତ ଭାବରେ ସ୍ୱୀକାର କରିବେ ।

                                                                                     ଶ୍ରଦ୍ଧା ଏପାର୍ଟମେଣ୍ଟ୍, ୭୯୧/ଏସ୍ -୫
                                                                                     ଶାଲିମାର ଗାର୍ଡନ, ଏକ୍ସଟେନସନ୍- ୧
                                                                                     ସାହିବାବାଦ, ନୂଆଦିଲ୍ଲୀ

LEAVE A REPLY

Please enter your comment!
Please enter your name here