‘କାଳିଆ ଅଛି, କାଳିଆ ବୁଝିବ’

0
604
  • ବଳଭଦ୍ର ରଥ

ଆପଣ ପୁରୀ ଆଖପାଖରେ ଯଦି ଲୋକଙ୍କ କଥାବାର୍ତ୍ତାକୁ କେବେ ନିରିଖେଇ ଶୁଣିଥିବେ ତେବେ ଆପଣ ଗୋଟେ କଥାଟେ ନିଶ୍ଚିତ ଶୁଣିଥିବେ । ସେଇ ବୋଲି ହେଉଛି ‘କାଳିଆ ଅଛି, କାଳିଆ ବୁଝିବ’ । ଦେଉଳ ସେବାୟତ ଏବଂ ଦେଉଳ ପାଖାପାଖି ସମସ୍ତେ ଏଇଟା କହନ୍ତି । କହିବାର ଅର୍ଥ ହେଲା ସେମାନେ ଯାହା ହେବ, ତାହା ମହାପୁରୁଙ୍କୁ ଜଣେଇ ଦିଅନ୍ତି । କାଳିଆ ସହିତ ନିବିଡ ବିଶ୍ୱାସର ଏ ହେଉଛି ପ୍ରତିଫଳନ ।
ଏବେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଜବରଦଖଲ ଉଚ୍ଛେଦ ଚାଲିଛି । ଦେଉଳକୁ କେନ୍ଦ୍ର କରି ଚଳୁଥିବା ଲୋକମାନଙ୍କ ଆଖିରେ ଅସରନ୍ତି ଲୁହର ବନ୍ୟା । ଛୋଟ ଛୋଟ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ଗରିବ ଲୋକମାନେ ଅସହାୟ ହୋଇପଡିଛନ୍ତି । ବୁଲଡୋଜର୍ ତାଙ୍କ ରୋଜଗାର ବୁଡେଇ ଦେଲା । କେବଳ ଦୋକାନ ବଜାର କି କୋଠା ଭାଙ୍ଗି ନାହିଁ ବରଂ ବହୁ ଆଶା ଓ ସ୍ୱପ୍ନ ଧୂଳିସାତ ହୋଇଯାଇଛି । ଆଗକୁ କଣ ହେବ ଆଗକୁ ତାହା ମଧ୍ୟ ଅନିଶ୍ଚିତ । ସେହିପରି ଶ୍ରୀଜଗନ୍ନାଥ ପରମ୍ପରା ଓ ସଂସ୍କୃତିକୁ ଜାବୁଡି ଧରିଥିବା ମଠ ଆଜି ଭଗ୍ନସ୍ତୂପର ରୂପ ନେଇଛି । ମଠାଧୀଶମାନେ କ୍ଷୋଭ ପ୍ରକାଶ କରୁଛନ୍ତି । ଗୋବର୍ଦ୍ଧନ ପୀଠଧିଶ ସ୍ୱାମୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ସମାନ କ୍ଷୋଭ ପ୍ରକାଶ କରିଛନ୍ତି ।
ପୂର୍ବରୁ ଥଇଥାନର ବନ୍ଦୋବସ୍ତ ନକରି ଉଚ୍ଛେଦ କରିବା କେତେଦୂର ଠିକ୍ ତାହା ଭାବିବାର କଥା । ଆଉ ସରକାରୀ ଥଇଥାନ ପ୍ରକ୍ରିୟା କେତେ ଜଟିଳ ତାହା କହିବା ଆବଶ୍ୟକ ନାହିଁ । ‘ଏବେ ସେହି କାଳିଆ ଭରସା । ସିଏ ଚାହିଁଲେ ରଖିବ ନହେଲେ ମାରିବ’ ଶୁଣିବା ସତରେ କଷ୍ଟଦାୟକ । କିନ୍ତୁ ଏ ଜବରଦଖଲ ଉଚ୍ଛେଦ ଆମ ସରକାରୀ କଳର ପ୍ରସ୍ତୁତି ପ୍ରତି ପ୍ରଶ୍ନବାଚି ସୃଷ୍ଟି କରୁନାହିଁ ତ ? ପୁରୀର ବିକାଶ କାହାର ଜୀବନକୁ ବିପନ୍ନ କରିବ ନାହିଁ ବୋଲି କିଏ କହିବ? ସରକାର ପାଞ୍ଚଶହ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି । କିନ୍ତୁ ରୋଜଗାର ହରାଇଥିବା, ବାସହରା ହୋଇଥିବା ବ୍ୟକ୍ତିଙ୍କ ପାଇଁ କଣ ଘୋଷଣା ହୋଇଛି? ଥଇଥାନ କରାଯିବ ଖାଲି କହିଦେଲେ କଣ ହୋଇଯିବ । ଶ୍ରୀଜଗନ୍ନାଥ ହିଁ ସେମାନଙ୍କର ଆଶା ଭରସା ଥିଲେ । କିନ୍ତୁ ସରକାର ସେମାନଙ୍କର ଆଶାକୁ ନୂଆ ରୂପ ଦିଅନ୍ତୁ ।

odishaprint@gmail.com

LEAVE A REPLY

Please enter your comment!
Please enter your name here