ଆଇଏଲ୍ ଆଣ୍ଡ୍ ଏଫଏସ୍ ସଙ୍କଟ

0
460
  • ସୁନୀଲ୍ ସାଈ ଦେବାଶିଷ

ଭାରତର ଲେହମ୍ୟାନ୍ ବ୍ରଦର୍ସ୍ କୁହାଯାଉଥିବା ଆଇଏଲ୍ ଆଣ୍ଡ୍ ଏଫଏସ୍ କମ୍ପାନୀ ସଙ୍କଟ ଦେଇ ଗତି କରୁଛି । କ୍ରାଇସିଲ୍ ସଂସ୍ଥା ଦ୍ୱାରା କରାଯାଇଥିବା ସର୍ଭେରେ ଆଇଏଲ୍ ଆଣ୍ଡ ଏଫଏସ୍କୁ ଦୁର୍ବଳ ଶ୍ରେଣୀର ମାନ୍ୟତା ଦିଆଯାଇଛି । କିଛିମାସ ଆଗରୁ ‘ଟ୍ରିପ୍ଲ ଏ’ ମାନ୍ୟତା ପାଇଥିବା ଆଇଏଲ୍ ଆଣ୍ଡ୍ ଏଫଏସ୍ର ଏପରି ଦୁର୍ଗତିର କାରଣ କଣ ଆପଣ ଜାଣିଛନ୍ତି କି ?
ଆଇଏଲ୍ ଆଣ୍ଡ୍ ଏଫଏସ୍ର ପୂରା ନାମଟି ହେଉଛି ଇନ୍ଫ୍ରାଷ୍ଟକ୍ଚର ଲିଜିଙ୍ଗ୍ ଆଣ୍ଡ ଫାଇନାନ୍ସିଆଲ ସର୍ଭିସ୍ ଲିମିଟେଡ୍ । ଏହା ଏକ ବିଶାଳ କମ୍ପାନୀ ସମୂହ ଯାହା ଆଧାରିକ ସଂରଚନା କ୍ଷେତ୍ରରେ ପୁଞ୍ଜିଲଗାଣ କରିଥାଏ । ଏହା ସ୍ୱଳ୍ପମିଆଦୀ ଋଣ ଆଣି ଦେଶର ବିକାଶମୂଳକ କାର୍ଯ୍ୟ ନିିମିତ୍ତ ବିଭିନ୍ନ ସଂସ୍ଥାମାନଙ୍କୁ ଦୀର୍ଘମିଆଦୀ ଋଣ ପ୍ରଦାନ କରିଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ହୋଇଥିବା ବିକାଶମୂଳକ କାର୍ଯ୍ୟରେ ପାଖାପାଖି ୧.୮ ଟ୍ରିଲିଅନ ଟଙ୍କାର ପୁଞ୍ଜିଲଗାଣ କରିସାରିଛି ଏହି ସଂସ୍ଥା । ୧୯୮୭ ମସିହାରେ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚଡିଏଫସି ଏବଂ ୟୁଟିଆଇ ଦ୍ୱାରା ସ୍ଥାପନ କରାଯାଇଥିବା ଏହି କମ୍ପାନୀରେ ବର୍ତ୍ତମାନ ଏଲଆଇସି, ଏସବିଆଇ, ଜାପାନର ଓରିକ୍ସକ୍ରପ୍ ଭଳି ୧୬୯ଟି କମ୍ପାନୀ ପୁଞ୍ଜିନିବେଶ କରିଛନ୍ତି ।
ବର୍ତ୍ତମାନ ଏହି କମ୍ପାନୀ ପାଖାପାଖି ନିଜର ଋଣଭାର ପରିଶୋଧ କରିବା ପାଇଁ ପାଖାପାଖି ୯୦ ବିଲିୟନ ଟଙ୍କା ଆବଶ୍ୟକ କରୁଛି । ଯେଉଁଥିରୁ ଆଗାମୀ ୬ମାସ ମଧ୍ୟରେ ୫୦୦ମିଲିୟନ ଡଲାର ଦେବା ଜରୁରୀ ହୋଇପଡିଛି । କିନ୍ତୁ ନଗଦ ଟଙ୍କାର ଅଭାବ ପାଇଁ ଗତ କିଛି ମାସ ହେବ ଏହି କମ୍ପାନୀ ଋଣ ପରିଶୋଧ କରିବାରେ ଅସମର୍ଥ ହେଉଛି । ଆବଶ୍ୟକତା ଠାରୁ ଅଧିକ ଟଙ୍କା ଖର୍ଚ୍ଚ ହେବା, ଜମି ଅଧିଗ୍ରହଣରେ ଅସୁବିଧା ଉପୁଜିବା ଯୋଗୁଁ ସରକାର ମଧ୍ୟ ଏହି କମ୍ପାନୀର ଟଙ୍କା ପରିଶୋଧ କରିପାରୁନାହାନ୍ତି । ନିଜର ୧୧୦ ବିଲିୟନ ଡଲାରର ସମ୍ପତ୍ତି ଥାଇ ମଧ୍ୟ ଏହି କମ୍ପାନୀ ହାତ ଟେକି ବସିଛି । କିନ୍ତୁ ଅନେକ ଦିଗରୁ ବିଚାର କଲେ ଏହା ଜଣାପଡୁଛି ଯେ ଏହି କମ୍ପାନୀ ଆଉ ଟଙ୍କା ପରିଶୋଧ କରିପାରିବ ନାହିଁ । ଏହି ଅସୁବିଧା କେବଳ ନଗଦ ଟଙ୍କାର ଅଭାବ ଯୋଗୁଁ ହିଁ ଉପୁଜିଛି । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ବର୍ତ୍ତମାନ ବକେୟା ଧନରାଶିକୁ ପରିଶୋଧ କରିବା ପାଇଁ ମଧ୍ୟ ଘୋଷଣା କରିଛି । କିଛିଟା ସଂରଚନାତ୍ମକ ଦୋଷତ୍ରୁଟି ରହିଥିଲେ ମଧ୍ୟ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଦେଶର ଅର୍ଥଶାସ୍ତ୍ରୀମନେ ମତପୋଷଣ କରିଛନ୍ତି ।
ନିକଟ ଅତୀତରେ ଆଇଏଲ ଆଣ୍ଡ ଏଫଏସର ଅଧ୍ୟକ୍ଷ ରବି ପାର୍ଥସାରଥୀ ନିଜ ପଦରୁ ଇସ୍ତଫା ଦେଇଥିଲେ । ହୁଏତ ସେତେବେଳକୁ ଆଇଏଲ୍ ଆଣ୍ଡ ଏଫଏସରେ ନେତୃତ୍ୱ ସଂଙ୍କଟ ଦେଖା ଦେଇଥିଲା । କିନ୍ତୁ ବର୍ତ୍ତମାନ ସରକାର ଏହାକୁ ନିଜ ଅଧୀନକୁ ଆଣିଛନ୍ତି । ତେଣୁ ବିପଦର କୌଣସି ସଙ୍କେତ ନାହିଁ । ଆଗାମୀ ଦିନରେ ସରକାରଙ୍କ ଦ୍ୱାରା ଗଠିତ ୬ଜଣିଆ ଟିମ୍, ଉଦୟ କୋଟାକ୍ଙ୍କ ନେତୃତ୍ୱରେ ଏ ଆର୍ଥିକ ସଂଙ୍କଟରୁ ଆଇଏଲ ଆଣ୍ଡ ଏଫଏସକୁ ଉଦ୍ଧାର କରିବାରେ ସମର୍ଥ ହେବେ ବୋଲି ଆଶା କରାଯାଉଛି । କିଛି ମହଲରୁ ଅଭିଯୋଗ ହେଉଛି ଯେ ଲେହମ୍ୟାନ୍ ବ୍ରଦର୍ସ୍ ପରି ଆଇଏଲ୍ ଆଣ୍ଡ୍ ଏଫଏସର ଅବସ୍ଥା ହେବ । କିନ୍ତୁ ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ନିରାଧାର ଓ ଭିତ୍ତିହୀନ । ଏହା ଛଡା କୌଣସି ରେଟିଙ୍ଗ୍ ଏଜେନ୍ସିକୁ ଆଖି ବୁଜି ଭରସା କରିବା ମଧ୍ୟ ବେଳେବେଳେ ନିର୍ବୋଧତା । କାହିଁକି ନା ଲେହମ୍ୟାନ ବ୍ରଦର୍ସକୁ ‘ଟ୍ରିପ୍ଲ ଏ ପ୍ଲସ୍’ ଦେବାର ମାତ୍ର ତିନିମାସ ମଧ୍ୟରେ ଏହା ଦେବାଳିଆ ହୋଇଯାଇଥିଲା । ମଜାର ବିଷୟ ଏହା ଯେ କ୍ରାଇସିଲ୍ ହିଁ ସେହି ରେଟିଙ୍ଗ୍ ଏଜେନ୍ସି ଯିଏକି ଲେହମ୍ୟାନ ବ୍ରଦର୍ସକୁ ‘ଟ୍ରିପଲ ଏ ପ୍ଲସ’ ମାନ୍ୟତା ପ୍ରଦାନ କରିଥିଲା ।
ଏଇଠି କହିରଖୁଛୁ ଯେ ବ୍ୟବସାୟ କରିବା ସରକାରଙ୍କ କର୍ତ୍ତବ୍ୟ ନୁହେଁ, କିନ୍ତୁ ଆର୍ଥିକ ସଂକଟ ଦେଇ ଗତି କରୁଥିବା କୌଣସି ବ୍ୟବସାୟିକ ସଂସ୍ଥା ବା ଉଦ୍ୟୋଗକୁ ସହଯୋଗର ହାତ ବଢାଇବା ନିଶ୍ଚିତ ଭାବେ ପ୍ରଶଂସନୀୟ ଉଦ୍ୟମ ଅଟେ ।

 

LEAVE A REPLY

Please enter your comment!
Please enter your name here